
ନୀଳ ଶୃଗାଳ /The blue jackal Odia story
ନୀଳ ଶୃଗାଳ /The blue jackal Odia story:
ଗୋଟିଏ ଶୃଗାଳ ଥିଲା। ଥରେ ତାକୁ ବହୁତ ଭୋକ ଲାଗିଲା। ଖାଦ୍ୟ ପାଇଁ ସେ ଗୋଟିଏ ଗାଁ ଭିତରକୁ ଗଲା। ତାକୁ ଦେଖି କିଛି କୁକୁର ତାକୁ ଗୋଡ଼ାଇଲେ। ଶୃଗାଳଟି କୁକୁରଙ୍କୁ ଦେଖି ଭୟରେ ଜୋରେ ଦୌଡିବାକୁ ଲାଗିଲା। ଭୟରେ ସେ ଗୋଟିଏ ଧୋବା ଘରକୁ ପଶିଗଲା।
ଆକସ୍ମିକ ଭାବରେ ସେ ଏକ ନୀଳ କୁଣ୍ଡରେ ପଡିଗଲା। କୁଣ୍ଡଟି ନୀଳ ପାଣିରେ ଭର୍ତି ହୋଇଥିଲା। ପାଣିରେ ପଡି ତାର ପୁରା ଶରୀର ନୀଳ ହୋଇଗଲା। ନୀଳ ପାଣିରୁ ଯେତେବେଳେ ସେ କୁଣ୍ଡରୁ ବାହାରକୁ ଆସିଲା ସେତେବେଳେ ସେ ଏକ ବିଚିତ୍ର ପଶୁ ପରି ଦେଖାଯାଉଥିଲା। କୁକୁରମାନେ ତାକୁ ଶୃଗାଳ ବୋଲି ଚିହ୍ନି ପାରିଲେ ନାହିଁ । ସେଥିପାଇଁ ସେମାନେ ତାକୁ ଆଉ ଗୋଡ଼ାଇଲେ ନାହିଁ ।
ଶୃଗାଳଟି ତା ପରେ ଜଙ୍ଗଲ ଭିତରକୁ ପଳାଇଲା। ତାକୁ ଦେଖି ଜଙ୍ଗଲରେ ଥିବା ଅନ୍ୟ ପଶୁମାନେ ଭୟଭୀତ ହୋଇଗଲେ। ଶୃଗାଳ ସେମାନଙ୍କୁ କହିଲା ଯେ, ସେ ସେମାନଙ୍କ ଉପରେ ଶାସନ କରିବା ପାଇଁ ଭଗବାନ ତାକୁ ପଠାଇଛନ୍ତି। ଜଙ୍ଗଲରେ ଥିବା ବାଘ, ସିଂହ ଓ ଅନ୍ୟ ସବୁ ପଶୁମାନେ ମଧ୍ୟ ତାକୁ ନିଜ ରାଜା ଭାବରେ ଗ୍ରହଣ କଲେ।
ସେ ସେମାନଙ୍କୁ ଭିନ୍ନ ଭିନ୍ନ କାମ କରିବାକୁ ଦେଲା। କିନ୍ତୁ ସେ ଅନ୍ୟ ଶୃଗାଳ ମାନଙ୍କୁ ଅଣଦେଖା କରୁଥିଲା । ସେ ସେମାନଙ୍କୁ ତା ପାଖକୁ ଆସିବାକୁ ଦେଉନଥିଲା । ଏଥିରେ ଶୃଗାଳମାନେ ବହୁତ ରାଗିଗଲେ। ସେମାନେ ତାକୁ ଏକ ଶୃଗାଳ ବୋଲି ଚିହ୍ନିଗଲେ।ସେମାନେ ଏକତ୍ରିତ ହୋଇ ତାର ବିନାଶର ଷଡଯନ୍ତ୍ର କଲେ। ଜଣେ ବୃଦ୍ଧ ଶୃଗାଳ କହିଲା ଯେ ସେମାନେ ତାର ଉପସ୍ଥିତିରେ ସନ୍ଧ୍ୟାରେ ଚିତ୍କାର କରିବେ। ଏହି ଚିତ୍କାର ଶୁଣି ନୀଳ ରଙ୍ଗର ଶୃଗାଳ ମଧ୍ୟ ଚିତ୍କାର କରିବ । ଯେହେତୁ ଅନ୍ୟ ଶୃଗାଳମାନଙ୍କର ଚିତ୍କାର ଶୁଣି ଚିତ୍କାର କରିବା ସବୁ ଶୃଗାଳ ମାନଙ୍କର ପ୍ରକୃତି ଥିଲା । ସେଥିପାଇଁ ସନ୍ଧ୍ୟାରେ ସେମାନେ ଏକତ୍ରିତ ହୋଇ ନୀଳ ଶୃଗାଳ ର ଉପସ୍ଥିତିରେ ଚିତ୍କାର କରିବାକୁ ଲାଗିଲେ । ନୀଳ ଶୃଗାଳ ଟି ଭୁଲିଯାଇଥିଲା ଯେ ସେ ଜଙ୍ଗଲର ରାଜା , ଅନ୍ୟ ଶୃଗାଳ ମାନଙ୍କର ଚିତ୍କାର ଶୁଣି ସେ ମଧ୍ୟ ସେମାନଙ୍କ ପରି ଚିତ୍କାର କରିବାକୁ ଲାଗିଲା ।
ଏସବୁ ଦେଖି ବାଘ, ସିଂହ ଓ ଅନ୍ୟ ସବୁ ପଶୁ ଜାଣିଗଲେ ଯେ ତାଙ୍କ ରାଜା ଏକ ଶୃଗାଳ । ସେମାନେ ଏସବୁ ଭାବି ଲଜ୍ଜିତ ହେଲେ ଯେ ସେମାନେ ଏହିପରି ଏକ ଶୃଗାଳ ଦ୍ୱାରା ପ୍ରତାରିତ ହେଲେ । ସେମାନେ ସମସ୍ତେ ରାଗିଯାଇ ଶୃଗାଳ ଉପରେ ପଡ଼ିଯାଇ ତାକୁ ଚିରି ପକାଇଲେ।
Moral: ଜଣେ ନିଜ ପ୍ରକୃତିକୁ ବଦଳାଇ ପାରିବ ନାହିଁ |
0 Comments:
Post a Comment